Odissi Music for Dummies

ସ୍ପେଶାଲ୍ ଅଜାଙ୍କ ପାଇଁ 

ଓଡ଼ିଶୀ ସଙ୍ଗୀତ ଫର ଡମିଜ୍

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ। ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ। କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା ।

ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ। ପ୍ରାଚୀନବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ ପ୍ରଭାବ ରହିଛି ।

ତାପରେ ଆସିଲେ ଦ୍ୱାଦଶ ଶତାବ୍ଦୀର ଜୟଦେବ, ଯେ କି ବିଶ୍ୱକୁ ଦେଲେ ରାଧାଙ୍କ ପ୍ରଥମ ଚିତ୍ର। ଶାସ୍ତ୍ରୀୟ ରାଗତାଳରେ ଶୁଦ୍ଧସଂସ୍କୃତ ଏପରି କୋମଳପଦ ସଂଯୋଜନା କଲେ ଯେ ଲୋକେ ସ୍ତବ୍ଧ ହୋଇ ଗଲେ ତାଙ୍କ କବିତାର ଉଚ୍ଚାରଣରେ ଜନ୍ମ ହେଉଥିବା ଚମତ୍କାର ଦ୍ୱାରା । ଉଦାହରଣ-

ଲଳିତ-ଲବଙ୍ଗ-ଲତା-ପରିଶୀଳନ-କୋମଳ-ମଳୟ-ସମୀରେ

କେବଳ ଗୋଟେ ଅକ୍ଷରରେ ପଦ ରଚନା କରିବା ନଥିଲା ତାଙ୍କ ଲକ୍ଷ୍ୟ, ଥିଲା କେବଳ ମଧୁରପଦାବଳୀରେ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା କରି ପୀୟୂଷ ବାଣ୍ଟିବା । ଏହି ଜୟଦେବ ହିଁ ତାଙ୍କ ପରର ପାଖାପାଖି ସମସ୍ତ କବିଙ୍କ ‘ଟ୍ରିଗର୍’।

ଅଭିମନ୍ୟୁ ସାମନ୍ତ ସିଂହାର ତା ପରେ ଆସି ରଚିଗଲେ ଶ୍ରୀରାଧା ବାତୁଳୀ ନିଜ ବିଦଗ୍ଧ ଚିନ୍ତାମଣିରେ । ଭଞ୍ଜେ ଜଟିଳ ନିୟମ ମଧ୍ୟରେ ରହି ମଧ୍ୟ ଭାବର ଏପରି ପରିସ୍ଫୁଟନ କଲେ ଯେ ଲୋକେ ତାଙ୍କ କବିତାକୁ ଗାଁ ଗାଁରେ ଗାଇଲେ । କବି ବନମାଳୀ ପ୍ରତ୍ୟକ୍ଷଦର୍ଶନ କରି ଜଗନ୍ନାଥଙ୍କ ଯାତ୍ରା ବର୍ଣ୍ଣନା କରି ମର୍ମସ୍ପର୍ଶୀ ଓଡ଼ିଶୀ ଗୀତ ଲେଖିଲେ । ଭକ୍ତଚରଣ ଦାସ ଆରେ ବାବୁ ଶ୍ୟାମଘନ କହଇ ମନ ଆରେ ଲେଖି ଅମର ହୋଇଗଲେ । କବି ଗୋପାଳକୃଷ୍ଣ ଭକ୍ତି ଏବଂ ପ୍ରେମରସର ଗୀତ ରଚନା କଲେ । ତାଙ୍କରି ଲିଖିତ କି ନାଦରେ ପ୍ରାଣ ସଂଗିନୀଶ୍ୟାମକୁ ଜୁହାରର ସ୍ୱର ସଭିଙ୍କୁ ଛୁଇଁଦେଲା । ବନମାଳୀଙ୍କ ଭଳି ନିଜକୁ ଅତିକ୍ଳିଷ୍ଟ ଶବ୍ଦଠୁଁ ଦୂରେଇ ଗ୍ରାମ୍ୟରସରେ ଗୀତ ଲେଖିଲେ । କବିସୂର୍ଯ୍ୟ ଆସି ଚମ୍ପୂକୁ ନିଜ କାଳଜୟୀ କୀର୍ତ୍ତି କରିନେଲେ । ଭୀମଭୋଇ ତାଙ୍କ ବିଚିତ୍ର ଗୀତ ମାଧ୍ୟମରେ ଲୋକଙ୍କୁଆକୃଷ୍ଟ କରି ଶିଖାଇଲେ ବିଶ୍ୱର ତତ୍ତ୍ୱ । ନିଜକୁ ହୀନ ମନେ କରି ଯବନ କବି ସାଲବେଗ ଏପରି ସରଳ ଓ ଭାବପୂର୍ଣ୍ଣ ଢଙ୍ଗରେ ଜଣାଣ କଲେ ଯେ ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲେ । ଆହେ ନୀଳ ଶଇଳ ପରି ଗୀତ ଆଉ ଅଛି ? ନା କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭଳି ଆଉ ଗୀତ ଅଛି ? ପଞ୍ଚସଖା ତ କାହିଁ କେଉଁ କାଳରୁ ମାଳିକା, ଭାଗବତ, ଲକ୍ଷ୍ମୀପୁରାଣ ଲେଖି ଓଡ଼ିଶୀ ଆକାଶରେ ଅପୂର୍ବ ସ୍ଥାନରେ ରହିସାରିଥିଲେ ।

ତା ପରେ ଆସିଲେ କବିଚନ୍ଦ୍ର, ନୂତନ ଯୁଗର ସ୍ରଷ୍ଟା ଏବଂ ପୁରାତନର ରକ୍ଷାକର୍ତ୍ତା । ଆଜି ଓଡ଼ିଶୀ ନାଚ ବା ଗୀତ ହେଉ, ଯାହା ଅଛି ତାଙ୍କରି ପାଇଁ । ବାଳକୃଷ୍ଣ ଦାସ ପରେ ଆସି ପ୍ରତି ରେଡ଼ିଓରେ ନିଜ ସ୍ୱରରେ ଓଡ଼ିଶୀ ସ୍ୱର ଘରେ ଘରେ ଗୁଞ୍ଜରିତ କରିଦେଲେ।

ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ କରିହେବ ଏହି ବିଶାଳ ସଙ୍ଗୀତ ସାହିତ୍ୟକୁ-

ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ, ଚଉତିଶା ଏବଂ ଭଜନ-ଜଣାଣ ଇତ୍ୟାଦି । 

ଚାଲନ୍ତୁ ଗୋଟି ଗୋଟି ଦେଖିବା-

୧- ଭଜନ, ଜଣାଣ, ଗୁହାରି

ଏଗୁଡ଼ିକ ଅର୍ଥଗତ ଭେଦ ରହିଛି, କିନ୍ତୁ ଆଜିକାଲି ଏହା ଏତେ ବର୍ଗୀକୃତ କରାଯାଏନା । ଜଣାଣ ହେଲା ଯେଉଁଥିରେ କିଛି ଜଣାଯାଉଥିବ, ଭଜନ ହେଲା ଠାକୁରଙ୍କୁ ଭଜିବା, ମନାସ ହେଲା କାହାକୁ ମନରେ ଭାବିବା, ଇତ୍ୟାଦି ।

୨- ଚଉତିଶା

ଚଉତିଶଟି ଅକ୍ଷରେ ୩୪ଟି ପଦ, ଏହା ହିଁ ଚଉତିଶା ପଦ । କିପରି ହେବ ଏହା ଉପରେ କିଛି ବନ୍ଧନ ନାହିଁ ।

୩- ଚମ୍ପୂ

ଏହା ବିଷୟରେ ବହୁତ କହିସାରିଲିଣି । 

ଶାସ୍ତ୍ରାନୁସାରେ ଯେଉଁ କୃତି ଗଦ୍ୟ ଏବଂ ପଦ୍ୟ ଉଭୟର ସମାବେଶ, ତାହା ଚମ୍ପୂ ନମରେ ଅଭୀତ । 

ଜାଣିନିଅନ୍ତୁ ଯେ ଚମ୍ପୂ କୌଣସି ନିର୍ଦ୍ଦିଷ୍ଟ ଗ୍ରନ୍ଥର ନାମ ନୁହେଁ, କେବଳ ଏକ genre । କବିସୂର୍ଯ୍ୟ ଏହି ପରି ଏକ ଗ୍ରନ୍ଥ ରଚି ତାର ପଦ୍ୟ ଅଂଶ ଓଡ଼ିଆ ଭାଷାରେ ଲଖିଲେ କିନ୍ତୁ ଗଦ୍ୟଟିକୁ ସଂସ୍କୃତରେ । ଏହି ଗ୍ରନ୍ଥ ଏତେ ଜନପ୍ରିୟ ଏବଂ ଆଦୃତ ହେଲା ଯେ କେବଳ ‘ଚମ୍ପୂ’ ବୋଲି କହିଲେ ଲୋକେ କବିସୂର୍ଯ୍ୟଙ୍କ କିଶୋରୀ ଚମ୍ପୂ କୁ ହିଁ ବୁଝିଲେ । ଅନ୍ୟ ଚମ୍ପୂ ଲଖା ବି ଅଛନ୍ତି, କିନ୍ତୁ କବିସୂର୍ଯ୍ୟଙ୍କ ଚମ୍ପୂ ଅତୁଳନୀୟ । ଏହି ଚମ୍ପୂ ଅତି ବିରଳ, ଏବଂ ଅନ୍ୟତଃ ପରିଦୃଷ୍ଟ ହୁଏନା  । 

୪- ଛାନ୍ଦ

ଯେଉଁ ଗୀତଗୁଡ଼ିକ କେତୋଟ ପୂର୍ବନିର୍ଦ୍ଧାରିତ ସ୍ୱରରେ, ତାଳରେ ଗାନ କରାଯାଏ ଏବଂ ନିର୍ଦ୍ଦିଷ୍ଟ ଛନ୍ଦରେ ଲେଖାଯାଏ, ତାହା ଛାନ୍ଦ  । ଭାବନ୍ତୁ, ଆପଣ ଏକ ସଂସ୍କୃତ ଶ୍ଳୋକଟେ ଗାଇବେ  । କହୁକହୁ ଆପଣଙ୍କ କାନରେ ଏକ ଜଣାଶୁଣା ସ୍ୱର ଶୁଭୁଥିବ । ତାହା ଏକ ଛନ୍ଦ, ଅନୁଷ୍ଟୁପ୍ ଛନ୍ଦ । ନୂଆ ଶ୍ଳୋକଟେ ଦେଲେ ବି ପୂରା ସେହି ଶୈଳୀରେ ଆପଣ ଆରାମରେ ଗାଇ ପାରିବେ । କିନ୍ତୁ କେବେ କେବେ ଆପଣ ଗୋଟିଏ ସ୍ତୋତ୍ର ଦେଖନ୍ତି ଯାହା ଗାଇବା ଶୈଳୀ ଭିନ୍ନ- ତାହା ଅନ୍ୟ ଛନ୍ଦରେ ଲିଖିତ । ଠିକ ସେହିପରି ଏ ଛାନ୍ଦ ।

୫- ଓଡ଼ିଶୀ

ସାଧାରଣ ଓଡ଼ିଶୀ ଗୀତଗୁଡ଼ି ଏହି ନାମରେ ପରିଚିତ । ଏ ସବୁ ରଚନା ଭିନ୍ନ ଭିନ୍ନ ସ୍ୱରରେ, ଯେପରି  ତୋ ଲାଗି ଗୋପଦାଣ୍ଡ ଓ ଶ୍ୟାମକୁ ଜୁହାର ।

ମତାମତ ଦବେ, ନ ହେଲେ ଖରାଦିନେ ଦହି ପଖାଳ ମିଳିବନି 

 

 

3 thoughts on “Odissi Music for Dummies

  1. ଠାକୁରେ,ଅତି ଉତ୍ତମ। ସତରେ ଏତେ ବଡ ବଡ ତତ୍ତ୍ୱକୁ ଏତେ ସରଳ ୠପରେ ଲେଖିବା ସହଜ ନୁହେଁ। ସେ ଯୁଗରେ ଥିଲେ ଜଗନ୍ନାଥ ଦାସେ। ଏ ଯୁଗରେ @ShriJagannatha । ଖାଲି ଗୋପାଳକୃଷ୍ଣ/ସାଲବେଗଙ୍କ ନାଆଁଦୁଇଟି ଯେବେ ଯୋଡିଦିନ୍ତେ…

    Like

  2. ଅଭିନନ୍ଦନ! ଖୁବ ସୁନ୍ଦର ଉପସ୍ଥାପନା । ଆଧୁନିକ ଓଡିଶୀ ସଂଗୀତର ଆଉ କେତେଜଣ ମୁଖ୍ୟ ପୁରୋଧାଙ୍କ ମଧ୍ୟରେ କାଶୀନାଥ ପୁଜାପଣ୍ଡା ଓ ରଘୁନାଥ ପାଣିଗ୍ରାହୀଙ୍କ ଅବଦାନକୁ ଭୁଲିହବ ନାହିଁ । ଜୟ ଜଗନ୍ନାଥ !

    Like

Leave a comment